ନ୍ୟୁଜ୍ ପଏଣ୍ଟ ଓଡ଼ିଶା ବ୍ୟୁରୋ ଯାଜପୁର : ବିଜେପି ସରକାରଙ୍କ ୧ ବର୍ଷ ଓ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ କୁଆଖିଆ ପରିବା ମାର୍କେଟଠାରେ ବିଜୟ ଦିବସ ପାଳିତ ହୋଇଛି ଏହି ଅବସରରେ ଏକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନଙ୍କ ପୌରୋହିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭାପତି ତଥା ବର୍ତ୍ତମାନ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ସମୀର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ସେଖର ସାହୁ, କୋରେଇ ବିଧାୟକ ଆକାଶ ଦାସନାୟକ, ବଡ଼ଚଣା ବିଧାୟକ ଅମର ନାୟକ, ପୁର୍ବତନ ଜିଲ୍ଲା ସଭାପତି ଗୌତମ ରାୟ, ବରୀ ବିଜେପି ନେତା ଉମେଶ ଜେନା ଓ ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ବିଂଝାରପୁର ବିଜେପି ନେତ୍ରୀ ବବିତା ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ। ବିଗତ ଏକ ବର୍ଷରେ ରାଜ୍ୟ ବିଜେପିସରକାର ୨୧ଟି ସଂକଳ୍ପ ମଧ୍ୟରୁ ୧୧ଟି ପୂରଣ କରିଥିବା ନେତାମାନେ ସୂଚନା ଦେଇଥିଲେ। ସୁଭଦ୍ରା ଯୋଜନା, ଚାଷୀମାନଙ୍କ ପାଇଁ ଧାନର ବଦ୍ଧିତ ଏମଏସପି ଉପରେ ୮ଶହ ଟଙ୍କାର ବୋନସ୍ ଘୋଷଣା, ୮୦ ବର୍ଷରୁ ଊର୍ଦ୍ଧ ବରିଷ୍ଠ ନାଗରିକଙ୍କୁ ୩୫୦୦ଟଙ୍କା ଭତ୍ତା ପ୍ରଦାନ ଭଳି ଜନକଲ୍ୟାଣ ଯୋଜନା ସଂପର୍କରେ ସୂଚନା ଦେବା ସହ ପୂର୍ବ ସରକାର କେମିତି ଲୋକମାନଙ୍କୁ ଭୁଆଁ ବୁଲାଉଥିଲା ତାହା କହିଥିଲେ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଗତ ୧୧ ବର୍ଷ ଧରି ଦେଶର ସ୍ବାର୍ଥ ଓ ସୁରକ୍ଷା ଦୃଷ୍ଟିକୋଣରୁ ନେଇଥିବା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସଂପର୍କରେ ସାଂସଦ ଶ୍ରୀ ବେହେରା କହିଥିଲେ | ପାକିସ୍ତାନ ଉପରେ ନିଆଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଆଲୋଚନା କରିଥିଲେ। ପୂର୍ବତନ ଜିଲ୍ଲା ସଭାପତି ଆଶୁତୋଷ ପରିଡ଼ା, ରସୁଲପୁର ବ୍ଲକ୍ର ବରିଷ୍ଠ ନେତା ପ୍ରହଲ୍ଲାଦ ପଣ୍ଡାଙ୍କ ସମେତ ସମଗ୍ର ଜିଲ୍ଲାରୁ ବହୁ ଛାମୁଆଁ ସଂଗଠକ ଓ କର୍ମୀ ଯୋଗଦେଇଥିଲେ |
ରାଜ୍ୟ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତିରେ ବିଜୟ ଦିବସ ପାଳନ।
