ଯଦି କେବେ ତୁମେ ଆସ
ଯଦି କେବେ ତୁମେ ଆସ
ସାଥେ ନେଇ ଆସିବ
କିଛି ପ୍ରେମର ରଙ୍ଗ,
ଶ୍ରାବଣର ବର୍ଷାରେ
ଯାହା ଧୋଇ ନ ହେବ।।
ଚୋରେଇ ଆଣିବ
ବସନ୍ତର ସୁଗନ୍ଧିତ ମହକ,
ବୈଶାଖୀର ତାତିରେ
ଯାହା ଉଭେଇ ନ ହେବ।।
ଅଧା ଲେଖା ପଙ୍କ୍ତି ଗୁଡାକୁ
ସଜାଡି ପୂର୍ଣ୍ଣ କରିଦେବ,
କବିତାକୁ ରସ ମୟ କରି
ସଙ୍ଗୀତ ର ଆଖ୍ୟା ଦେବ।।
ଅଧା ରାତିରେ ମୋ ନିଦ ଭାଙ୍ଗି
ଗଲେ ଛାତିରେ ଜାବୁଡ଼ି ଧରିବ,
ସ୍ବପ୍ନ ଦୁନିଆକୁ ମୋତେ ତମେ
ହାତ ଧରି ଡାକି ନେବ।।
ଯଦି କେବେ ମୁଁ ଝୁଣ୍ଟି ପଡେ
ମୋ ହାତକୁ ସମ୍ଭାଳି ଦେବ,
ମୁଁ କେବେ ଯଦି ଭାଙ୍ଗି ପଡେ
ସାହାରା ପାଇଁ ତୁମ କାନ୍ଧ
ନିଶ୍ଚୟ ଦେବ।।
ଜୀବନର ପ୍ରତିଟି ଫର୍ଦରେ
ଭରସା ଆଉ ବୁଝାବଣା ଥିବ,
ରାଗ ଅଭିମାନର ଝଡ଼
କେବେ ଆମ ସମ୍ପର୍କରେ ନ ଥିବ।।
ଜୀବନର ହସ ଲୁହରେ
ଦୁହିଁଙ୍କର ସମାନ ଭାଗ ଥିବ,
ଜଣଙ୍କ ହୃଦୟର ସ୍ପନ୍ଦନ ଆଉ
ଜଣଙ୍କ ଛାତିରେ ସ୍ପନ୍ଦିତ ହେଉଥିବ।।
ଯେତେ ଦେଖୁଥିଲେ ଦୁହେଁ ଦୁହିଁଙ୍କୁ ବି
ପ୍ରତିଦିନ କିଛି ନୂଆ ଲାଗୁଥିବ,
ବୟସର ଅପରାହ୍ନ ରେ ବି
ଭଲ ପାଇବାର ବାସ୍ନା ଆମ
ସେହିପରି ସତେଜ ଥିବ।।
ନାମ – ରଶ୍ମୀବାଳା ଶତପଥୀ
ସ୍ଥାନ – ଯାଜପୁର ଟାଉନ୍ ଯାଜପୁର